Tarun Kanti Mishra


୥ ବିଶଲ୍ୟ ୥
ତରୁଣକାନ୍ତି ମିଶ୍ର

 

 

ଦୁର୍ବଳ ଦୁଇଟି ଆଙ୍ଗୁଠିରେ ପିଲାଟି ଛୁଇଁବାକୁ ଚେଷ୍ଟା କଲା ଲୋକଟିର ଭିଜି ଭିଜି ଆସିଥିବା ଗୋଟିଏ ହାତ ପାପୁଲିକୁ୤ ଫିସ୍ ଫିସ୍ କରି କହିଲା, ବାପା, ମତେ ଭାରି ଡର ଲଗୁଚି୤
ଲୋକଟି ଚୁପ୍ ଚାପ୍ ଚାହିଁଥିଲା ସାମନା କାନ୍ଥର ଦୁର୍ବୋଧ୍ୟ କେତୋଟି ଚିତ୍ରକୁ ଓ ଆହୁରି ଦୁର୍ବୋଧ୍ୟ କେତେକ ସୂଚନା ପତ୍ରକୁ୤ ସେହି ଛବି ଓ ଲେଖପଟର ଶଙ୍କିତ ଆର୍ଦ୍ର ଅନୁଭବ ଥିଲା ଲୋକଟିର ଭିଜା ଭିଜା ହାତ ପାପୁଲିରେ୤ ପିଲାଟି ପୁଣି ଥରେ ଡାକିଲା, ବାପା !
ପିଲାଟିର ନୁଖୁରା ମୁଣ୍ଡକୁ ଆଉଁସି ଦେଉ ଦେଉ, ଲୋକଟି ଅନୁଚ୍ଚ ସ୍ୱରରେ କିଛି କହିଲା୤ ସେ ଯାହା କହିଲା ପିଲାଟି ଅବଶ୍ୟ ଶୁଣି ପାରିଲା ନାହିଁ, ଲୋକଟି ନିଜେ ବି ହୁଏତ ନିଶ୍ଚିତ ନଥିଲା ତା କଥାରେ୤ ପିଲାଟି ତାପରେ ଚୁପ୍ ରହିଲା ଓ ଲୋକଟିର ଆଖିରେ କାନ୍ଥର ଚିତ୍ରସବୁ ଆଉ ସେତେ ଭୟଙ୍କର ଦିଶିଲା ନାହିଁ୤
ପରଦା ସେପାଖେ ଜଣେ ନର୍ସ୍ ଅସନ୍ତୁଷ୍ଟ ହେବା ପରି କାହାକୁ କଣ କହୁଥିଲା, ଦି ଜଣ ବେହେରା  ଖଣ୍ଡେ ଭଙ୍ଗାବେଞ୍ଚରେ ବସି କିଛିଗୋଟେ ଯୁକ୍ତି କରୁଥିଲେ, ଡାକ୍ତରବାବୁଙ୍କ ଆସିବା ବେଳ ହେଲାଣି ବୋଲି ଟେକନିସିଆନ୍ ଦିଥର କହି ସାରିଥିଲା୤ ଲୋକଟି ଦେଖୁଥିଲା ତା ହାତଘଣ୍ଟାକୁ,ସମୟକୁ ସନ୍ଦେହ କଲାଭଳି୤
:ବାପା,ହିମାଳୟ କଣ ସବୁଠୁ ଉଚ୍ଚା ପର୍ବତ? ସେମାନେ ଏ କଥା କେମିତି ଜାଣିଲେଯେ ! ପାହାଡକୁ କଣ କିଏ ମାପି ପାରିବ!
ଏତେ ଗୁଡାଏ କଥା ପିଲାଟି ଏବେ ନକହିବା ହିଁ ଉଚିତ,କିନ୍ତୁ ଲୋକଟି  କହିଲା ନାହିଁ କିଛି୤ ସେ ନିରବରେ ଦେଖିଲା କାଲେଣ୍ଡରର ସେଇ ଛବିବୁ, ଧଳା ବରଫରେ ଢଙ୍କା ଗୋଟିଏ ପର୍ବତ,ଉଚ୍ଚ ନିବିଡ ଆକାଶକୁ ଛୁଇଁ୤
ବରଫ, ବରଫ, ଧଳା ବରଫ...
:ମତେ ଆଇସକ୍ରିମ୍ ଭଲଲାଗେ, ଷ୍ଟ୍ରବେରି ଆଇସକ୍ରିମ୍ ...
ନିଜକୁ ଭୁଲେଇଦବା ପରି କହୁଥିଲା ପିଲାଟି, ଯଦିଓ ଭଲ କି ଜଣା ତାକୁ ଶୀତ ଦିନେ ବାପା ଭୁଲରେ ବି ଆଇସକ୍ରିମ୍ ଦେବେନାହିଁ୤
“ଦେଖିଲୁ ନା ତୋ ଛାତି କେମିତି କାଟିଲା କାଲି ରାତିରେ, ମୋ କଥା ନ ମାନି  ଆଇସକ୍ରିମ୍ ଖାଇଲୁ ବୋଲି!” ବାପା ଦିନେ କହିଥିଲେ ତା ପିଠି ଆଉଁସି ଦେଉ ଦେଉ୤
ଛାତି କିନ୍ତୁ ଆଉ ଥରେ ଆଗରୁ ବି କାଟିଥିଲା, ଆଇସକ୍ରିମ୍ ନ ଖାଇ ବି୤
କିନ୍ତୁ ତାପରେ ଦିନେ ଛାତି ଏମିତି କାଟିଲା ଯେ  ତାକୁ ଲାଗିଲା ସେ ଏଥର ମରିଯିବ୤ ମରିଗଲେ କିପରି ଲାଗେ ତା’କୁ ଅବଶ୍ୟ ଜଣା ନାହିଁ, କିନ୍ତୁ ତାକୁ ଏମିତି ଲାଗିଲା ଯେମିତି ସବୁଆଡ ଏବେ କିଟ୍ କିଟ୍ ଅନ୍ଧାର, ଆଉ ଟିକିଏ ପରେଅନ୍ଧାରସବୁ ତରଳି ଯାଇ ଧଳା ଧଳା ବାଦଲ୍ ପାଲଟିଯିବ, ତା ପରେ ତାକୁ ହାଲକା ଲାଗିବ, ପବନରେ ଉଡିବା ପରି୤ପ୍ରକୃତରେ ତାକୁ ସେମିତି ଟିକେ ଟିକେ ଲାଗିବା ଆରମ୍ଭ କରି ଥିଲା ବି୤
ସମସ୍ତେ କହିଲେ ସେ କୁଆଡେ ମୂର୍ଛା ହୋଇଯାଇଥିଲା୤
ପୁଣି ଥରେ ସେମିତି ହୋଇଥିଲା ଯୋଗୀକକାଙ୍କ ବାହାଘର ଭୋଜିଦିନ୤ଠିକ୍ ତା ପର ଦିନ ସେ ଆସିଥିଲା ଏଠିକି, ଡାକ୍ତରବାବୁ ବହୁତ ସମୟ ଧରି ତା ଛାତିପିଠି କଣ ସବୁ ଦେଖିଥିଲେ୤ ବାପାଙ୍କୁ କଣ ସବୁ କହିଥିଲେ, କିଛି ବୁଝିନହେଲା ପରି ଭାଷାରେ୤
ଛବିନାନୀର ପୁଅ ଟିଣ୍ଟୁ କହିଥିଲା: ଦେଖିଲ ତ ବୁବୁନ୍ ର କେମିତି ହେଲା ! ବାହାଘର ଭୋଜିରେ ସେ ଗଣି ଗଣି ଆଠଟା କୁଲଫି ଖାଇଥିଲା, ମୁଁ ମୋ ଆଖିରେ ଦେଖିଛି୤
ସବୁ ମିଛ, ପକ୍କା ମିଛ୤ସେ ଜମା ଦୁଇଟା ଖାଇଚି, ଆଉ ଗୋଟିକରୁ ଫାଳେରୁ କମ୍୤ମିଛ କଥା ବୋଲି ସେ ଯେତେ ଦୁଃଖ କରି ନଥିଲା, ତା ଠୁ ବେଶି ଦୁଃଖୀ ହୋଇଯାଇଥିଲା ବାପାଙ୍କ ମୁହଁ ଦେଖି, ଡାକ୍ତରଖାନାରୁ ତା‘ ପରଦିନ ଫେରିବା ବାଟରେ୤
“ଡାକ୍ତରବାବୁ ଆସିଗଲେ” କହିଦେଇ ଚାଲିଗଲା ଜଣେ କିଏ ସ୍ତ୍ରୀଲୋକ, ଛବି ନାନୀଠୁ ଆହୁରି ମୋଟା, ଆହୁରି ଗୋରା୤ଆଖିରେ ଚଷମା୤
ଲୋକଟି ଏବେ ସଜାଡି ହୋଇ ବସିଲା, ଓଠ ତଳୁ ହାତ କାଢି ଆଣି୤ ପୁଣି ସେ ଦେଖିଲା ସାମ୍ନାର ଛବି ଓ ସୂଚନାପତ୍ର ଗୁଡିକୁ୤ କିନ୍ତୁ କାନ୍ଥର କାଲେଣ୍ଡରଟି ହିଁ ତାକୁ ଲାଗିଲା ସବୁଠୁ ନିରାପଦ ଆଶ୍ରୟ୤ ନର୍ସ୍ ଆସିଲା, ଜଣେ ଟେକନିସିଆନ୍ ବି, ଶେଷକୁ ଡାକ୍ତର୤
ଡାକ୍ତରଙ୍କ ମୁହଁରେ ଥିଲା କଳା କଳା ମେଘ ପରି ମେଞ୍ଚାଏ ଅନ୍ଧାର୤ ଆଜି ବି ସେ କଥା କହିଲେ କମ୍, ସବୁ ଥର ଭଳି୤ ହାତ ଘଣ୍ଟାକୁ ସେ ଦେଖିଲେ ତିନି ଥର, ଯେମିତି ଜରୁରୀ କାମରେ କୁଆଡେ ଯିବାର ଅଛି ଏ ସବୁ ଝମେଲା ତୁଟିଲେ୤
: ସବୁ ଠିକ୍ ହୋଇଯିବ ତ ଡାକ୍ତରବାବୁ!
ଡାକ୍ତର କହିଲେ, ବ୍ଲଡପ୍ରେସର ଦେଖିଛ ! ଏକ୍ସରେ ରିପୋର୍ଟଟା  କାହିଁ?
ନର୍ସ ଜଣକ ହାତକୁ ବଢାଇ ଦେଲା ଗୋଛାଏ କାଗଜପତ୍ର୤
ପାଞ୍ଚବର୍ଷର ଗୋଟିଏ ପିଲାର ଚିକିତ୍ସା ପାଇଁ ଦରକାର ଏତେ କଥା! ଗୋଟିଏ ଅଧଚାଖଣ୍ଡ ଛାତି ଭିତରେ ଏମିତି କଣ ଛିଟ ରହିଚି ଯେ ପାଞ୍ଚଥର ପରୀକ୍ଷା ହେବ, ପନ୍ଦର କିସମର! ଲୋକଟି କପାଳରୁ ଝାଳ ପୋଛିଲା୤
: ବାପା ମୁଁ ତୁମକୁ ଖୁବ୍ ଭଲ ପାଏ୤ ବହୁତ୍, ବହୁତ୍, ବହୁତ୍!
ତୁଣ୍ଡ ଫିଟିବା ଦିନୁ ପିଲାଟି  ଢେର୍ ଢେର୍ କଥା ହୋଇଚି ବାପ ସାଙ୍ଗରେ, ବିଚରା ମା-ଛେଉଣ୍ଡ ପିଲାଟା ୤ ତାର ସବୁ ସ୍ୱପ୍ନ, ସବୁ ଦୁଃଖ, ସବୁ ଆନନ୍ଦ:ସବୁ ସେ ଦେଇ ଦିଏ ଅକାତରେ, ଯେତିକି ସମ୍ଭବ ତାର ସୀମିତ ସାମର୍ଥ୍ୟରେ୤
: ବାପା କାଲି ରାତିରେ ମୁଁ ଗୋଟେ ଭାରି ଅଦ୍ଭୁତ ସ୍ୱପ୍ନ ଦେଖିଲି ! ମୁଁ ଦେଖିଲି ଆମ ମା‘କୁ...ତୁମେ, ମୁଁ ଆଉ ଆମ ମା ... ପୁରୀ ସମୁଦ୍ର କୂଳରେ -
ଆଶା ଥିଲା, ବାପା ଏ ସ୍ୱପ୍ନ କଥା ଶୁଣି ଖୁସି ହେବେ, ମନ କରିବେ ସବୁ କଥା ଭଲକି ଶୁଣିବାକୁ, କିନ୍ତୁ ସେ ପୁରା ଚୁପ୍ ହୋଇଗଲେ, ଏମିତିଚୁପ୍, ଯେମିତି ସେ ମାଆକୁ ଜମା ଜାଣନ୍ତି ବି ନାହିଁ୤
ଘର ଭିତରକୁ ଏବେ ପଶି ଆସିଲେ ତିନିଟା ଲୋକ, ଜଣେ ଖୁବ୍ ଡେଙ୍ଗା, ଜଣେ ଭାରି କଳା, ଜଣେ ଭାରି ରାଗି ରାଗି୤ ରାଗି ରାଗି ଲୋକଟା କହିଲା, ଏ ପିଲା, ଏଣିକି ଆ୤
ବାପା ଟିକିଏ ଧଡପଡ ହୋଇ ସଳଖି ବସିଲେ, ଗୋଟେ ହାତ ଆଣି ରଖିଲେ ତା‘ ପିଠି ଉପରେ୤ବାପା ତା ଦେହରେ ହାତ ରଖିଲେ ବହୁତ୍ ଭଲ ଲାଗେ୤ ଲାଗେ ସବୁ କଷ୍ଟ କୁଆଡେ ଏଥର ଉଭେଇ ଯିବ୤ କିନ୍ତୁ ତାକୁ ଏ ଲୋକଟା ଜମା ଭଲ ଲାଗିଲା ନାହିଁ, ତା ପାଖେ ଠିଆ ହୋଇଥିବା କଳା କଳା ଲୋକଟାକୁ ବି୤
ବାପାଙ୍କ ଝାଳଭିଜା ହାତଟିକୁ ଅଣ୍ଡାଳି ଅଣ୍ଡାଳି ଧରିଲା ପିଲାଟି, କହିଲା: ବାପା ମତେ ଡର ଲାଗୁଚି...
ବାଟ ଯାକ ବାପା କହି ଆସିଥିଲେ ଡରିବାର କିଛି ନାହିଁ, ସବୁ ଠିକ୍ ହୋଇଯିବ୤ ତୋ‘ ଦେହ ଭଲ ହୋଇଗଲା ପରେ ଆମେ ନନ୍ଦନ କାନନ ଯିବା, ଆଉଥରେ କଲିକତା୤
ଏଥର କିନ୍ତୁ ବାପା କିଛି କହିଲେ ନାହିଁ, ଥିଇରି କିନା ତା ପିଠିରେ ହାତ ରଖିଲେ, ହେଲେ ପାଖକୁ ଜାକି ଆଣିଲେ ନାହିଁ, ଆସ୍ତେ କିନା ଆଗକୁ ଠେଲି ଦେଲେ୤
ବାପା, ସେମାନେ ମୋର କଣ କରିବେ,ଏ ପ୍ରଶ୍ନ ଆଉ ବେଶିଥର ପଚାରି ନଥିଲା ପିଲାଟି, ଏତିକି ବୁଝିବା ପରେ ଯେ ତା‘ ପ୍ରଶ୍ନର ସଠିକ୍ ଉତ୍ତର କେହି ଦେବେ ନାହିଁ୤
ବାପା  କହିଥିଲେ, କିଛି ନା ସେମାନେ ଖାଲି ତୋତେ ନିଦରେ ଶୁଆଇ ତୋ ଛାତିର ଯାହା ଅସଜ ଅଛି ତାକୁ ଠିକ୍ କରିଦେବେ୤ ତୁ କିଛି ଜମା ଜାଣି ପାରିବୁ ନାହିଁ୤
ଏତେ ସାମାନ୍ୟ କଥା ଯଦି, ବାପା ଏତେ ବ୍ୟସ୍ତ ହେଉଛନ୍ତି କାହିଁକି ମନେ ମନେ!ସବୁବେଳେ ଚୁପ୍ ଚାପ୍, ବିକଳ ହେଲା ପରି ଚାହୁଁଛନ୍ତି କେବେକେବେ ଏଣିକି ତେଣିକି୤
ସବ୍ ଜାନତା ଟିଣ୍ଟୁ କହିଥିଲା, ଅପରେସନ୍ ବେଳେ କିଛି ଜଣା ପଡେ ନାହିଁ, ନିଦରେ ଶୋଇପଡିବ ଆରାମ-ସେ, କିନ୍ତୁ ଅପରେସନ୍ ପରେ ତ ମଜା !
: କି ମଜା?
ଗମ୍ଭୀର ହୋଇଯାଇ ଟିଣ୍ଟୁ କହିଥିଲା,ଅପରେସନ୍ ପରେ ଜଣେ ଜଣେ ମରି ଯାଆନ୍ତି୤
: ମରି ଯାଆନ୍ତି ?
: ହଁ, କିନ୍ତୁ ତୋର ତ କିଛି ହେଇନି, ଖାଲି କୋଲଡଡ୍ରିଙ୍କସ୍, ଆଇସକ୍ରିମ୍ ଖାଇ ଖାଇକା ତୋର ଏମିତିକା  ଅବସ୍ଥା୤ ତୁ କୋଉଠୁ ମରୁଚୁ!
ମରିଯିବା ସମୟରେ କଣ କଷ୍ଟ ହୁଏ? ମଲା ପରେ ମଣିଷ ଯାଏ କୁଆଡେ!
କଷ୍ଟ ହେବା ନ ହେବା କଥା ସେ ଜାଣେ ନାହିଁ, କିନ୍ତୁ ସେ ଜାଣେ ମଲାପରେ ମଣିଷ କୁଆଡେ ଯାଏ, କେମିତି ରହେ୤ ଯେମିତି ଅଛି ତାର ମାଆ...
:ଏ ପିଲା, ତୋ ନାଆଁ କଣ ଟି, ଆ ୟାଡିକି...
ଗୋଟିଏ ଖଟିଆରେ ତା‘କୁ ଶୁଆଇ ଦେଲେ ସେମାନେ, ତ“କୁ ଟେକିଲେ ଦିଜଣ ଲୋକ, ଜଣେ କଳା ବାଙ୍ଗରା ଲୋକ, ଆର ଜଣକ ନିଶୁଆ,ବଡ ପେଟବାଲା୤
ଅପରେସନ୍ ରୁମକୁ ସେ ସହଜରେ ଚାଲି ଚାଲି ଯାଇପାରି ଥାଆନ୍ତା, କିନ୍ତୁ ସେମାନେ ତା‘କୁ ବୋହିନେଲେ ଗୋଟେ ଗନ୍ଧଉଥିବା ଖଟରେ, ଏମିତି ଗନ୍ଧ ଯେ ବାନ୍ତି ଲାଗିବ୤
ପଛେପଛେ ବାପା ଆସିଲେ, କବାଟ ପାଖେ ଟିକେ ଧକ୍କା ଖାଇ୤
ବାପା ଧକ୍କା ଖାଇଲା ପରେ ନିଶୁଆ ଲୋକଟି ପଚାରିଲା, ପେମେଣ୍ଟ ସରିଚି? ରସିଦ୍ ରଖିଚ ତ!
ବାପା ଯେମିତି ଟିକେ ଛନ୍ଦି ହୋଇପଡିଲେ୤ କହିଲେ: ପେମେଣ୍ଟ କରିଚି ଯେ ହେଲେ...
ବାପାଙ୍କୁ ସେମାନେ ଯାହା ମାଗିଥିଲେ ବାପା ଦେଇନାହାନ୍ତି୤ କାହିଁକି ସେକଥା ଜଣା ତାକୁ୤ ବନୁମାମୁଁଟଙ୍କା ଧରି ଆସିବାର ଥିଲା,କିନ୍ତୁ ସେ ମଟର ଫେଲ୍ ହୋଇଗଲେ୤ଆଜି ସିଏ ବି ଏଠିକି ଆସି ଥାଆନ୍ତେ, ବାପାଙ୍କ ସାଙ୍ଗରେ, ଡାକ୍ତରବାବୁଙ୍କ ସାଙ୍ଗେ କଥା ହୋଇ ଥାଆନ୍ତେ ଇଂରାଜିରେ୤ ସେ ଚୋସ୍ତ ଇଂରାଜୀ କହିପାରନ୍ତି୤
: ଡକ୍ଟର ମିଶ୍ରଙ୍କୁ ତମେ ଜାଣିନା, ସେ ଭାରି ପ୍ରିନସିପୁଲ୍ ଲୋକ ଏ ବିଷୟରେ, ଠିକ୍ ଅଛି, କାଲି ସଞ୍ଜ ସୁଦ୍ଧା ସେଟେଲ୍ କରିଦେବ୤ ନା, ସେଇଠି ରୁହ, ଭିତରକୁ ଯିବା ମନା ...
ଭିତରଟା କେମିତି ଗୋଟେ କଟ୍ କଟ୍ ଗନ୍ଧଉଥିଲା୤ ବାଦୁଡି ଗୁହରେ ମେଞ୍ଚାଏ ଭିକ୍ସ୍ ମିଶେଇ ଦେଲେ ଯେମିତି, ସେମିତି୤ ଛାତ ସାରା ଝଲ୍ ଝଲ୍ ତିନିଟା ଆଲୁଅ, ଶାଗୁଆ ରଙ୍ଗର ମୁଖାପିନ୍ଧା ଲୋକ ଦି ଜଣ୤
: ବାପା, ମତେ ଡର ଲାଗୁଚି!
ଲୁହାଖଟ ଉପରକୁ ତାକୁ ଟେକି ନେଲା ବେଳେ, ନାକ ଭିତରକୁ ପଶି ଆସୁଥିଲା ଆଉ ଗୋଟେ ପ୍ରକାର କଡା ଗନ୍ଧ୤ ସେ ମୁହଁ ବୁଲେଇ ଚାହିଁଲା ବାପାଙ୍କୁ, ଯିଏ ଦୁଆର ପାଖେ ଠିଆ ହୋଇଥିଲେ ଆଖିକୁ ଦିଶୁ ନଥିବା ଗୋଟେ ମନ୍ତ୍ର ଦଉଡିରେ ବାନ୍ଧି ହୋଇଗଲା ଭଳି୤ ହାତ ଜୋଡି ନ ଥିଲେ ବି ତାଙ୍କ ଆଖିକୁ ଦେଖି ଜାଣି ହେଉଥିଲା ସେ ପ୍ରାର୍ଥନା ବୋଲୁଛନ୍ତି, ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ...
ନାକରେ କଣ ଗୋଟେ ସେମାନେ ଗୁଞ୍ଜି ଦେବାକୁ ଚେଷ୍ଟା କରୁଥିଲେ, ହାତରେ ଫୋଡୁଥିଲେ ଗୋଟେ ମୁନିଆ ଛୁଞ୍ଚି, ଦେହଟା କେମିତି ଝିମ୍ ଝିମ୍ କରିବାକୁ ଆରମ୍ଭ କରିଥିଲା, କେମିତି ବାନ୍ତି ବାନ୍ତି, ଏଃ ମୂତ ଲାଗିଲାଣି କି କଣ...
ବାପାଙ୍କ ଆଡକୁ ଚାହିଁ ସେ ଭାବୁଥିଲା କହିବାକୁ ଗୋଟିଏ କଥା, ଯାହା ସେ ଭାବିଚି ଅନେକଥର, କିନ୍ତୁ କହିନାହିଁ୤
ଏବେ ସେ ଚାହୁଁଥିଲା ସେତିକି କହିବାକୁ, ବାପା, ତୁମେ ଜମାରୁ ବେସ୍ତ ହବ ନାହିଁ, ମତେ ଯେତେ କଷ୍ଟ ହେଲେ ସୁଦ୍ଧା ମୁଁ କାନ୍ଦିବି ନାହିଁ, ଟିକେ ବି ନୁହେଁ୤ ଆଉ ଯଦି ମରିଯାଏ, ତେବେ ବି ମନ ଖରାପ କରିବ ନାହିଁ, ମୁଁ ତ ତେବେ ମାଆପାଖକୁ ଚାଲିଯିବି ! ମୁଁ ଅବଶ୍ୟ ତାକୁ କେବେ ଦେଖି ନାହିଁ, ତାକୁ ଚିହ୍ନି ପାରିବିନିଜମାରୁ, କିନ୍ତୁ ସିଏ ତ ମତେ ଦେଖି ଚଟ୍ କିନା ଚିହ୍ନି ପକେଇବ୤ ଆଉ ତାପରେ ଆମେ ଦି ଜଣ ଦିନେ ଆସିବୁ ତୁମ ପାଖକୁ, ପୁରୀସମୁଦ୍ରକୂଳରେ ତୁମେ ସେଦିନ ଆମକୁ ଅପେକ୍ଷା କରିଥିବ, ଆମେ ବାହାରି ଆସିବୁ ଲହଡି ଭିତରୁ, ଭାସି ଭାସିକା, ଭାସି ଭାସିକା, ଭାସି ଭାସିକା...


137,ଲୁଇସ୍ ରୋଡ୍
ଭୁବନେଶ୍ୱର